ବଲାଣି,୨୩/୧୨(ନି.ପ୍ର) - ଯେଉଁ ବୟସରେ ବାଲ୍ୟ ଜୀବନ ଅତିବାହିତ କରିବା କଥା ସେ ବୟସରେ ସାମାଜିକ ନ୍ୟାୟ ରୁ ବଞ୍ଚିତ ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତ ୧୩ ନମ୍ବର ୱାର୍ଡ ମାର୍କେଟ ହଟିଂ ର ଦୁଇ ନାବାଳକ ଭାଇ ୯ ବର୍ଷୀୟ ପ୍ରହ୍ଲାଦ ଓ ୪ ବର୍ଷୀୟ ଅହ୍ଲାଦ । ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ରାତ୍ରିକାଳୀନ ଯାତ୍ରୀବାହୀ ବସ୍ ରେ ହେଲ୍ପର ଭାବରେ କାମ କରୁଥିବା ବେଳେ ମା ମୀନା କୁମାରୀ ପାତ୍ର ସ୍ୱଳ୍ପ ରୋଜଗାର କରିବାକୁ ଯାଇ ମଣିଷ ଦଲାଲଙ୍କ ହାବୁଡ଼ରେ ପଡି ଦିଲ୍ଲୀ ରେ ଚାକରାଣୀ ଭାବରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ପକ୍ଷରେ ଦୁଇ ନାବାଳକ ଭାଇ ବାପା ମା ଜୀବିତ ଥାଉଁ ଥାଉଁ ଛେଉଣ୍ଡ ଭାବରେ ଘୁରି ବୁଲୁଛନ୍ତି । ବାପା ଓ ମା ପାଖରେ ସମୟ ନଥିବାରୁ ଉଭୟ ଦୁଇ ଭାଇ ଶିକ୍ଷା ଭଳି ମୌଳିକ ସୁବିଧା ଓ ସାମାଜିକ ନ୍ୟାୟରୁ ବଞ୍ଚିତ । ଚଳିତବର୍ଷ ଜୁଲାଇ ମାସରେ ନିଜ ସ୍ୱାମୀକୁ କିଛି ନଜଣାଇ ସ୍ତ୍ରୀ ଦଲାଲଙ୍କ ହାବୁଡ଼ରେ ପଡି ଟଙ୍କା ରୋଜଗାର କରିବା ଆଶା ନେଇ ଦିଲ୍ଲୀ ଚାଲିଯାଇଥିବା ବେଳେ କୁନି କୁନି ପିଲା ମାନେ ପ୍ରତ୍ୟେହ ମା କୁ ଝୁରୁଛନ୍ତି । ବାପା କେଉଁଦିନ ଭୁବନେଶ୍ୱରରେ ରହୁଥିବା ବେଳେ ସ୍ୱଳ୍ପ ସମୟ ନିଜ ସନ୍ତାନ ମାନଙ୍କ ସହିତ ଅତିବାହିତ କରିଥାନ୍ତି । ଘର କହିଲେ ଚାରିଖଣ୍ଡ ଟିଣ ସହିତ ତାରପୋଲିନ ଘେରା ଆବଦ୍ଧ କ୍ଷେତ୍ର । ହାଡ଼ଥରା ଥଣ୍ଡାରେ ଦୁଇ ଭାଇ ଏହି ଘରେ ଦିନ ଅତିବାହିତ କରିଥାନ୍ତି । ଦିନ ତମାମ ବଜାର ଆଦି ଅଞ୍ଚଳରେ ଘୁରିବୁଲୁଥିବା ଅବସ୍ଥାରେ କେହି କିଛି ଦୟା ପରବଶ ହୋଇ ଖାଇବାକୁ ଦେଲେ ସେତିକିରେ ଅଟମୋସନ୍ତୋଷ କରି ପାଣି ମୁନ୍ଦାଏ ପିଇ ପେଟ ଭରିଥାନ୍ତି । ଏଭଳି ଭାବରେ ତାଙ୍କର ଜୀବନ ଅତିବାହିତ ହେଉଥିବା ସ୍ଥଳେ ପାଖ ପଡୋଶୀ ଲୋକେ ସରକାରଙ୍କ ସାହାଯ୍ୟକୁ ଆଶା କରିଛନ୍ତି । ତେବେ ଶିଶୁ କଲ୍ୟାଣ କମିଟି ଏହି ନାବାଳକ ଦ୍ୱୟଙ୍କୁ ଉଦ୍ଧାର କରି ତାଙ୍କର ଆଗାମୀ ଭବିଷ୍ୟତ ନିର୍ମାଣ କରିବାକୁ ପ୍ରୟାସ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।