ଚମ୍ପୁଆ, ୧୫/୦୫ (ତ୍ରିନାଥ ମହାନ୍ତ) ଦୁଇ ବର୍ଷ ହେଲାଣି ସରିବାର ନାଁ ଧରୁନାହିଁ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଚିତ୍ରପୁର ଠାରୁ ଅସନପାଟ ମୁଖ୍ୟମନ୍ତ୍ରୀ ସଡ଼କ । ଠିକାଦାର କାମକୁ ଅଧାରେ ଛାଡି ଛୁ ମାରିଥିବା ବେଳେ ରାସ୍ତାକୁ ନେଇ ଲୋକଙ୍କ ବଢିଚାଲିଛି ଦୁର୍ଦଶା। ଧୂଳି ଧୂଆଁରେ ଲୋକେ ଅତିଷ୍ଟ ହୋଇ ପଡୁଥିବା ବେଳେ ରାସ୍ତା କଡରେ ବଡ଼ ବଡ଼ ହୁଡ଼ିଂ ଭିତରେ ଏହି ଯୋଜନା ସୀମିତ ହୋଇ ରହି ଯାଇଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉ ନାହିଁ। ୨୦୨୨ ମସିହା ଜାନୁଆରୀ ୧୦ ତାରିଖରୁ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ଅଧୀନରେ ଏହି ରାସ୍ତାକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଶିଳାନ୍ୟାସ କରି ଥିବାବେଳେ ଗତ ୦୯.୧୦.୨୨ ରେ ଏହି ରାସ୍ତା କାମ ଶେଷ ହେବା କଥା କିନ୍ତୁ ଇତି ମଧ୍ୟରେ ଦୁଇ ବର୍ଷ ବିତିବାକୁ ବସି ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା କାମ ଅଧା ମଧ୍ୟ ହୋଇ ପାରି ନାହିଁ। ଠିକାଦାର ରାସ୍ତା ଉପରେ ମେଣ୍ଟାଲ, କ୍ରସର ଗୁଣ୍ଡ ପକାଇ ଦେଇ ଅଧ ପନ୍ତରିଆ ଭାବେ ଛାଡି ଛୁ ମାରିଛି। ଫଳରେ ଏହି ରାସ୍ତା ଏବେ ଲୋକଙ୍କ ପାଇଁ ଦୁର୍ଦଶା ବଢ଼ାଇ ଦେଇଛି। ଯାହାକୁ ନେଇ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଚିତ୍ରପୁର, ବଡ଼ପଶି, ଚଉଠିଆ, ବାରୁଣା, କଳିଙ୍ଗା, ଗୁଣ୍ଡୁଣିଆ, ଅସନପାଟ, ବଡ଼ପଶି ଆଦି ପଞ୍ଚାୟତ ର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୂତ ହୋଇ ସାରିଛି।