ଚମ୍ପୁଆ, (୧୨/୦୪) ଚମ୍ପୁଆ ବ୍ଲକ୍ କାଳିକାପ୍ରସାଦ ପାତ୍ର ସାହି ଜଙ୍ଗଲ ନିକଟରେ ମହୁମାଛି ଆକ୍ରମଣରେ ନଅ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ର ଛାତ୍ରୀଙ୍କ ଅବସ୍ଥା ଭଲ ରହିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ଛଅ ଟାରେ କାଳିକାପ୍ରସାଦ ଶିଶୁ ମନ୍ଦିରରେ ପଢୁଥିବା ହୁଞ୍ଜପଶି ଗ୍ରାମର କୁନି କୁନି ଛାତ୍ର ଛାତ୍ରୀ ମାନେ ଗ୍ରାମରୁ ଏକ ଅଟୋରେ ବିଦ୍ୟାଳୟକୁ ଯାଉଥିଲେ। ଅଟୋଟି କାଳିକାପ୍ରସାଦ ପାତ୍ର ସାହି ଜଙ୍ଗଲ ଦେଇ ଯାଉଥିବା ବେଳେ ହଠାତ୍ ମହୁମାଛି ଅଟୋ ଟିକୁ ବେଢ଼ି ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ଦଂଶନ କରିବା ଯୋଗୁ ପ୍ରାଣ ବିକଳରେ ଛାତ୍ର ଛାତ୍ରୀ ମାନେ ଚିତ୍କାର କରିବା ସହ ଯିଏ ଯୁଆଡେ ପାରିଲେ ଦୌଡିଥିଲେ। ସେମାନଙ୍କ ଚିତ୍କାର ଶୁଣି ସାହିବାସୀ ସେମାନଙ୍କୁ ଉଦ୍ଧାର କରି ସାଷ୍ଟମ କରିଥିଲେ। ପରିବାର ଲୋକେ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିରେ ଅଟୋ ଡ୍ରାଇଭର ଓ ନଅ ଜଣ ଛାତ୍ର ଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ପାଞ୍ଚ ରୁ ସାତ ବର୍ଷ ଭିତରେ ହୋଇଥିବା ବେଳେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଜଣାପଡିଛି।