ଚମ୍ପୁଆ, ୧୫/୦୪ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ମୋଟ ୬୫ ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିବା ଜଣା ପଡିଛି। ଏହି ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦଗଡୁ, ଏଡିଏମ ଅରବିନ୍ଦ ପ୍ରଧାନ, ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ପୃଷ୍ଟି, ଜିଲ୍ଲା ସହକାରୀ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ, ପିଡି ଡିଆରଡିଏ କୁମାର ନାଗ ଭୂଷଣ, ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁ, ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ବିଶେଷ କରି ଭତ୍ତା, ରାସନ୍ , ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ ହେବା ସମ୍ପର୍କିତ ଅଭିଯୋଗ ସହ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ଜମି ଯୋଗାଇ ଦେବା , କରଞ୍ଜିଆ ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପକୁ ବିଜୁଳି ସଂଯୋଗ, କାଳିକାପ୍ରସାଦ କୃଷ୍ଣପୁର ଗ୍ରାମ ଜଙ୍ଗଲରୁ ବେଆଇନ ଗଛକଟା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବନବିଭାଗର ପଛଘୁଞ୍ଚା, ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଅଭିଯୋଗ ହୋଇଥିଲା। ଏଥି ସହିତ ଅଭିଯୋଗ ଶୁଣାଣିରେ ହେଉଥିବା ଅଭିଯୋଗ ଉପରେ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ବିଭାଗୀୟ ଅଧିକାରୀଙ୍କ ବିଳମ୍ବକୁ ନେଇ କିଛି ସରପଞ୍ଚ ଓ ୱାର୍ଡମେମ୍ବର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାଦ୍ଵାରା ଚମ୍ପୁଆ ବ୍ଲକରେ ଅଭିଯୋଗ ଶୁଣାଣିରେ ଦିନକୁ ଦିନ ଅଭିଯୋଗ ସଂଖ୍ୟା କମୁଥିବା ନେଇ ଅଭିଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ୧୩ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲାପାଳ ଓ ଏସପି ବ୍ୟାଟେରୀ ଚାଳିତ ହ୍ୱିଲଚେୟାର ପ୍ରଦାନ କରିଥିଲେ ।