Latest News

ବୈତରଣୀ ନଦୀରେ ବୁଡି ଦୁଇ ନାବାଳକ ମୃତ

Apr 18, 2025
Odishakhabar:Champua-keonjhar-1019

 ଚମ୍ପୁଆ, (୧୮/୦୪) ଚମ୍ପୁଆ ବ୍ଲକ୍ ସରେଇ କେଶରିକୁଣ୍ଡ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳକ ହେଲେ କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଗୁଆଲି ର ମନୋହର ପୋଦ୍ଦାରଙ୍କ ପୁଅ ନୀତେଶ ପୋଦ୍ଦାର(୧୬) ଓ ବାରିଆ ଥାନା ଅନ୍ତର୍ଗତ କଞ୍ଚନଡୁମୁରିଆ ଗ୍ରାମର ମହୁର ମହାନ୍ତଙ୍କ ପୁଅ ପ୍ରିତମ ମହାନ୍ତ (୧୬) । ନୀତେଶ ସ୍ଥାନୀୟ କେରଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୧୦ ମ ଶ୍ରେଣୀର ଛାତ୍ର ଥିବା ବେଳେ ପ୍ରୀତମ ଚଳିତ ବର୍ଷ ବଡବିଲ କଳିଙ୍ଗ ହାଇସ୍କୁଲରୁ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ଛୁଟି ଥିବାରୁ ଯୋଜନା କରି ମଧ୍ୟାହ୍ନରେ ଆଠ ଜଣ ସାଙ୍ଗ ସରେଇ କେଶରିକୁଣ୍ଡକୁ ଗାଧୋଇବାକୁ ଯାଇଥିଲେ। ନୀତେଶ ସ୍ଥାନୀୟ ଅଞ୍ଚଳରେ ମେସରେ ରହି ପାଠ ପଢୁଥିବା ବେଳେ ପ୍ରୀତମ ଦୁଇ ଦିନ ତଳେ ମହେଶ୍ୱରପୁର ସ୍ଥିତ ମାମୁଁ ଘରକୁ ବୁଲିବା ପାଇଁ ଆସିଥିଲେ । ପ୍ରିତମଙ୍କୁ ତାଙ୍କ ମାମୁଁ ପୁଅ ଭାଇ ମେସରେ ରହୁଥିବା ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ସାଥିରେ ଡାକି ନେଇଥିଲେ । ଦିନ ପ୍ରାୟ ତିନି ଘଟିକା ସମୟରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ସାଙ୍ଗ ବୁଡି ଯାଇଥିଲେ । ସାଙ୍ଗ ମାନେ ଜଣ କୁ ଉଦ୍ଧାର କରିଥିବା ବେଳେ ନୀତେଶ ଓ ପ୍ରୀତମ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ପରିବାରର ଏକ ମାତ୍ର ପୁତ୍ର ହୋଇଥିବା ବେଳେ ପରିବାର ଲୋକଙ୍କ କ୍ରନ୍ଦନରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ବନା ପ୍ରଦାନ କରିଥିଲେ । ଅନ୍ୟପଟେ ଖବର ପାଇ ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Post