ଚମ୍ପୁଆ, ୧୨/୦୪ (ତ୍ରିନାଥ ମହାନ୍ତ) ଓଡିଶାର ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ସାରା ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ଚମ୍ପୁଆ ବ୍ଲକର ଛଅ ଗୋଟି ସ୍ଥାନ ଯଥା ଚିମିଳା ଖେଳ ପଡିଆ, ରିମୁଳି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ, କାଳିକା ପ୍ରସାଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଓ କରଞ୍ଜିଆ ହାଟ ପଡ଼ିଆ, ଜ୍ୟୋତିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଭୂଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୂଆ ପଡିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭକୁ ଆଭାସୀ ମାଧ୍ୟମରେ ପ୍ରସାରଣ କରା ଯାଇଥିଲା। କାର୍ଯ୍ୟକ୍ରମ ଗୁଡିକରେ ଲୋକ ପ୍ରତିନିଧି ଓ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏଥିରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳ ରେ ପ୍ରଥମ ଦଫାରେ ଗ୍ରାମାଞ୍ଚଳ ଗାଁ ଗୁଡିକର ପଚିଶ ଜଣ ଲେଖାଏଁ ହିତାଧିକାରୀଙ୍କୁ ପ୍ରଦାନ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବହୁ ସ୍ଥାନରେ କେବଳ ଦଶ ଜଣ ଲେଖାଏଁ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଥିଲା । ବ୍ଲକର ନୋଡାଲ ଅଫିସର, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ଆଶାକର୍ମୀ ଆଦି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ପରିଚାଳନାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ପ୍ରଚାର ଓ ପ୍ରସାର ଠିକ ଭାବେ ହୋଇ ନ ଥିବାରୁ କାର୍ଯ୍ୟକ୍ରମ ଗୁଡିକରେ ସେଭଳି ଜନସମାଗମ ଦେଖିବାକୁ ମିଳି ନ ଥିଲା। ଅନ୍ୟ ପଟେ ମଧ୍ୟାହ୍ନ ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଲୋକଙ୍କୁ ବସିବା ପାଇଁ ମରା ଯାଇଥିବା ଟେଣ୍ଟରେ ତିରପାଲ ନ ଦେଇ କେବଳ କପଡା ଛାଉଣୀ କରାଯାଇଥିବାରୁ ଉପସ୍ଥିତ ଲୋକେ ଖରା ଓ ଭୀଷଣ ଗରମରେ ହନ୍ତସନ୍ତ ହେଉ ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମରେ କୁଲରର ବ୍ୟବସ୍ଥା କରା ଯାଇଥିବା ବେଳେ କରଞ୍ଜିଆ କାର୍ଯ୍ୟକ୍ରମରେ ଲାଗିଥିବା କୁଲର ଗୁଡିକରେ ପାଣି ନ ଥିବାରୁ ଲୋକେ ଗରମରେ ସିଝି ଥିଲେ। ସେହିପରି ଭୂଇଁପୁର ଠାରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ ଡିଜି ଖରାପ ହୋଇଯିବାରୁ ଲୋକମାନେ ଗରମରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଉପସ୍ଥିତ ଜନତାଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରା ଯାଇଥିଲା। ପ୍ରତି କାର୍ଯ୍ୟକ୍ରମରେ ଏକହଜାର ଲୋକଙ୍କ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ପାଇଁ ଏକଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ଥିବାବେଳେ ସ୍ୱଳ୍ପ ଖାଦ୍ୟ ତଥା ପରିଚାଳନା ତ୍ରୁଟି ଯୋଗୁଁ ଲୋକେ ଠିକ ଭାବେ ନ ପାଇ ଅସନ୍ତୋଷ ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ କାର୍ଯ୍ୟକ୍ରମରେ ବିଜେଡି କଣ୍ଟ୍ରାକ୍ଟର ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ବିଜେପି କାର୍ଯ୍ୟକର୍ତାଙ୍କୁ ଅଣଦେଖା କରାଯାଇଥିବା ସହିତ ପ୍ରତି କାର୍ଯ୍ୟକ୍ରମ ପାଇଁ ଅଢେଇ ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଥିଲେ ମଧ୍ୟ ଅନୁଦାନ ଅର୍ଥକୁ ବାଟ ମାରଣା କରି ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମକୁ ଜେନତେନ ପ୍ରକାରରେ ସାରିଦେବାକୁ ଚେଷ୍ଟା କରାଯାଇଛି ବୋଲି ବିଜେପି କର୍ମୀ ମାନେ ଅଭିଯୋଗ ଆଣିଥିବା ବେଳେ ଏହାକୁ ନେଇ ଚାପା ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ରାଜ୍ୟ ବିଜେପି କୃଷକମୋର୍ଚ୍ଚା ଉପସଭାପତି ତଥା ରାଜ୍ୟ ବିଜେପି ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତଙ୍କୁ ପଚାରିବାରୁ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଜେପି ପକ୍ଷରୁ ପୁରା ଚେଷ୍ଟା କରାଯାଇଛି, କିନ୍ତୁ କିଛି ଅଧିକାରୀ ଜାଣି ଜାଣି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାପାଇଁ ପ୍ରୟାସ କରିଛନ୍ତି, ତେବେ ଏହା ଉପରେ ଆମେ ତଦନ୍ତ କରିବୁ ବୋଲି କହିଥିଲେ।