Latest News

ଟ୍ରେଲର ଧକ୍କାରେ ମହିଳା ମୃତ

Apr 16, 2025
Odishakhabar:Champua-keonjhar-1018

 ଚମ୍ପୁଆ, ୧୬/୦୪(ତ୍ରିନାଥ ମହାନ୍ତ) ଆଜି ଦିନ ଦ୍ବିପ୍ରହରରେ ୨୦ ନଂ ଜାତୀୟ ରାଜପଥ ଚମ୍ପୁଆ ଥାନା ନିକଟ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରେଲର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲା ଗ୍ରାମ କାବରାଗୁଟୁ ସାହିର ମଗୁରୁ ହେସାଙ୍କ ସ୍ତ୍ରୀ ବୈଜୟନ୍ତୀ ହେସା ( ୨୦ ବର୍ଷ) । ମୃତ ମହିଳା ଜଣକ ଆଜି ଚମ୍ପୁଆ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇବା ପରେ କୌଣସି କାମରେ ଚମ୍ପୁଆ ପୋଷ୍ଟ ଅଫିସ ଆଡକୁ ଯାଉଥିବା ସମୟରେ ଏକ ଲୁହାପଥର ବୋଝେଇ ଟ୍ରେଲର ( ଗାଡି ନଂ ଜେଏଚ୦୫ଏଏଚ ୭୪୫୧ ) ତାଙ୍କୁ ପୋଷ୍ଟ ଅଫିସ ସମ୍ମୁଖରେ ପଛ ପଟରୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ମହିଳାଙ୍କ ଅଣ୍ଟା ତଳକୁ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ରାଜପଥ ଉପରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଥିଲା। ଚମ୍ପୁଆ ଥାନା ଆଇଆଇସି ଦେବକୀ ନାଏକ ନିଜେ ଚମ୍ପୁଆ ପୋଲିସ କର୍ମଚାରୀଙ୍କ ସହିତ ରାସ୍ତା ଉପରୁ ମୃତ ଦେହକୁ ଉଠାଇ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ନେବା ପରେ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଚମ୍ପୁଆ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ନେଇ ଚମ୍ପୁଆ ବଜାର ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ପ୍ରକାଶ ଥାଉ କି ଠିକ ଏକ ସପ୍ତାହ ପୂର୍ବରୁ ସକାଳୁ ବସରେ ବସିବା ପାଇଁ ନିଜ ଘରୁ ବସ ଷ୍ଟାଣ୍ଡକୁ ଯାଉଥିବା ସମୟରେ ଚମ୍ପୁଆ ଆଇଟିଡିଏର ଅବସର ପ୍ରାପ୍ତ କର୍ମଚାରୀ ବିରଞ୍ଚି ମହାନ୍ତଙ୍କୁ ଠିକ୍ ସମାନ ଢଙ୍ଗରେ ପଛ ପଟୁ ଏକ ଟ୍ରଲର ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଯୋଗ୍ୟ କି, ଚମ୍ପୁଆ ବଜାର ଏକ ବ୍ୟବସାୟୀକ ପେଣ୍ଠ ସ୍ଥଳ ହେବା ସହିତ କୋର୍ଟ, ଡାକ୍ତରଖାନା, ତହସିଲ, ବ୍ଲକ, ବ୍ୟାଙ୍କ୍, ପୋଷ୍ଟ ଅଫିସ ଆଦି କାର୍ଯ୍ୟାଳୟକୁ ଦୈନନ୍ଦିନ ଶହ ଶହ ଲୋକ ଆସନ୍ତି। ରିମୁଳି ଠାରୁ ଚମ୍ପୁଆ ବଜାର ମଧ୍ୟ ଦେଇ ପଡୋଶୀ ଝାରଖଣ୍ଡ ରାଜ୍ୟକୁ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ଅଣ ଓସାରିଆ ହୋଇଥିବା ବେଳେ ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ଭାରୀ ଯାନ ଟ୍ରକ ଓ ଟ୍ରଲର ଯିବା ଆସିବା କରନ୍ତି। ଫଳରେ ଜନ ସାଧାରଣ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟି ଅନେକ ଜନ ଜୀବନ ହାନୀ ହେଉଛି। ତେଣୁ ଚମ୍ପୁଆ ସହର ବାହାରେ ବାଇପାସ ରାସ୍ତା ନିର୍ମାଣ ନେଇ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ସରକାର ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଓ ବଣିକ ସଂଘ ପକ୍ଷରୁ ଦାବି ହେଉଛି।

Related Post