Latest News

ଦୈନିକ ଶହଶହ ଟ୍ରିପ ହେଉଛି ଚୋରା ବାଲି ଚାଲାଣ : ନିରବଦ୍ରଷ୍ଟା ପ୍ରଶାସନ

Apr 14, 2025
Odishakhabar:Champua-keonjhar-1013

 ଚମ୍ପୁଆ, (୧୩/୦୪) ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବାଲି ମାଫିଆ ମାନେ ପୁରା ଦମରେ ସକ୍ରିୟ ହୋଇ ଉଠିଛନ୍ତି। ଦିନ ରାତି ବେଧଡ଼କ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରି ମାଲେ ମାଲ ହେଉଛନ୍ତି। ବିଶେଷ କରି ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀରୁ ଅଡଙ୍ଗାପାଳ, ସାତହଳିଆ, କଙ୍କଡାପାଟ, କୁଟାରିପୋଷି, ଚମ୍ପୁଆ, ରାମଲା, ଶଶାଙ୍ଗ, ପତଳା, ସରେଇ, କାଟୁଳିକନା, ବନିକା, ଟିଆଁସୀପଶି, ରଙ୍ଗାମାଟିଆ, ଜ୍ୟୋତିପୁର ଆଦି ଗ୍ରାମରେ ବାଲି ଉଠାଉ ଥିବାବେଳେ ଅରଡେଇ ନଦୀରୁ କୃଷ୍ଣପୁର, ରିମୁଳି ରେ ଚୋରା ବାଲି ଉଠା ଯାଉଛି। ସେହିପରି ଭଣ୍ଡା, କଂସରା (ଖ), ସୁନାରିପଶି, ରରୁଆଁଗୋଡ଼ା, କେମୁଣ୍ଡିଆ, କନ୍ଦାନାଳୀ, ନନ୍ଦପୁର, ମଙ୍ଗଳପୁର, ପଡୁଆ, ପାରୁଡିପୋଷି, ରାଉତରାପୁର, ଭୂଇଁପୁର, ଜାଲି, କମଣ୍ଡ, କଙ୍କଡା ଆଦି ଗ୍ରାମରେ ମେର୍ମେଦା ନାଳ ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏହି ନାଳରୁ ଦୈନିକ ବାଲି ମାଫିଆ ମାନେ ମେସିନ ଯୋଗେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଶହ ଶହ ଟ୍ରିପ ବାଲି ବେଆଇନ ଭାବେ ଜମା କରି ରଖୁଛନ୍ତି। ପରେ ସେହି ବାଲିକୁ ହାଇୱା ଯୋଗେ ରାତାରାତି ବାହାରକୁ ଚୋରା ଚାଲାଣ କରି ଅଧିକ ଦାମରେ ବିକ୍ରି କରୁଛନ୍ତି। ତେବେ ଭଣ୍ଡା ଅଞ୍ଚଳର ବହୁ ସ୍ଥାନରେ ଏଭଳି ବେଆଇନ ବାଲି ଡିପୋ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା ରହୁଛନ୍ତି । ବେଧଡ଼କ ଭାବେ ଦୈନିକ ଚୋରା ବାଲି ଚାଲାଣ ଉପରେ ସ୍ଥାନୀୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଭଣ୍ଡା ମେର୍ମେଦା ନାଳରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ଘଟୁଥିବା ବେଳେ ବର୍ତମାନ ଜ୍ୟୋତିପୁର ପଞ୍ଚାୟତ ଅନ୍ତର୍ଗତ ରୁପାକୁଣ୍ଡ ବୈତରଣୀ ନଦୀ ବାଲିଘାଟ ଲିଜ ହୋଇ ନ ଥିଲେ ମଧ୍ୟ ବାଲି ମାଫିଆ ମାନେ ରୁପାକୁଣ୍ଡ ବାଲି ଘାଟରୁ ବେଆଇନ ବାଲି ଉତୋଳନ ପାଇଁ ବିଧିବଦ୍ଧ ଯୋଜନା କରି ନଦୀ ଗର୍ଭକୁ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ରୁପାକୁଣ୍ଡ ନିକଟସ୍ଥ କାଜୁ, ଆମ୍ବ ଜଙ୍ଗଲ ଦେଇ ହାତୀ ମାନଙ୍କ ଯାତାୟାତ ପଥ ରହିଥିବା ବେଳେ କାହା ଅନୁମତିରେ ଏହି ସ୍ଥାନରୁ ବାଲି ଉତ୍ତୋଳନ ପାଇଁ ରାସ୍ତା ନିର୍ମାଣ କରା ଯାଉଛି ଓ ଏହା ପଛରେ କାହାର ହାତ ରହିଛି ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଞ୍ଚଳରେ ପ୍ରବାହିତ ମେର୍ମେଦା ନାଳରୁ ବିନା ଲିଜରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବେନିୟମ ଭାବେ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ନିକଟସ୍ଥ ବୈତରଣୀ ନଦୀ ଉପରେ ମାଫିଆଙ୍କ ଲୋଲୁପଦୃଷ୍ଟି ପଡିଛି। ପୂର୍ବରୁ ଏହି ଚୋରା ବାଲି ଚାଲାଣକୁ ରୋକିବା ପାଇଁ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଉଥିଲା। ମାତ୍ର ସରକାର ଲଘୁଖଣିଜ ସମ୍ପଦ ର ଦାୟିତ୍ୱ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଖଣି ବିଭାଗର କାର୍ଯ୍ୟାଳୟ କେନ୍ଦୁଝର ଠାରେ ଥିବାରୁ ୫୦ କିଲୋମିଟର ଦୂରରୁ ଆସି ଭଣ୍ଡା ଅଞ୍ଚଳରେ ବାଲି ଚାଲାଣ ଉପରେ ରୋକ ଲଗାଇ ପାରୁନାହିଁ ବିଭାଗ। ଯାହାର ପୁରା ଫାଇଦା ନେଉଛନ୍ତି ବାଲି ମାଫିଆ। ମାଫିଆ ମାନେ ଅଞ୍ଚଳର କିଛି ତଳିଆ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅବାଧ ଚୋରା ବାଲି ଚାଲାଣ କରୁଥିବା କୁହା ଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏସମ୍ପର୍କରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ବାଲି ଦାୟିତ୍ୱ ଖଣି ବିଭାଗକୁ ଦିଆ ଯାଇଛି, ଖଣି ବିଭାଗ ଯାହା ପଦକ୍ଷେପ ନେବା କଥା ନେବେ, ମୁଁ ମଧ୍ୟ ଏ ସମ୍ପର୍କରେ ବୁଝାବୁଝି କରି ପଦକ୍ଷେପ ନେବି ବୋଲି କହିଛନ୍ତି। ତେବେ ଏହା ଉପରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Related Post