ଚମ୍ପୁଆ, (୨୩/୦୪) ପାଞ୍ଚପୋଖରିଆ ମନ୍ଦିର ପରିସରରୁ କେହି ଦୁର୍ବୁତ୍ତ ଗଛ କାଟି ନେଇ ଯିବାକୁ ଉଦ୍ୟମ କରିଥିବା ନେଇ ଗ୍ରାମବାସୀ ବନ ବିଭାଗର ଦ୍ବାରସ୍ଥ ହେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କଟା ଗଛ ଗୁଡିକୁ ଜବତ କରିଛି। ଖବର ଅନୁସାରେ, ଚମ୍ପୁଆ ଏନଏସି ଅନ୍ତର୍ଗତ ପାଞ୍ଚପୋଖରିଆ ସ୍ଥିତ ଧବଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ବଡ଼ ଶାଗୁଆନ ଗଛ ରହିଥିଲା। ତେବେ ଆଜି ହଠାତ୍ ଗଛ ଗୁଡ଼ିକୁ କେହି ଦୁର୍ବୁତ୍ତ କାଟି ଦେଇଥିବା ଗ୍ରାମବାସୀ ଦେଖିଥିଲେ। କେହି ଦୁର୍ବୃତ୍ତ ଗଛ ଗୁଡ଼ିକୁ କାଟି କିଛି ଅଂଶ ନେଇ ଯାଇଥିବା ବେଳେ ବାକି ତକ ନେଇ ନ ପାରି ମନ୍ଦିର ପରିସରରେ ପକାଇ ଦେଇଥିଲା। ତେବେ ମନ୍ଦିର ସମ୍ପତ୍ତି ହୋଇଥିବାରୁ ଗ୍ରାମବାସୀଙ୍କ ବିନା ସହମତି ଓ ବନାଞ୍ଚଳ ଅଧିକାରୀଙ୍କ ବିନା ଅନୁମତିରେ ଏହି ଗଛ ଗୁଡିକ କଟା ହୋଇଥିବା ନେଇ ଗ୍ରାମବାସୀ ଚମ୍ପୁଆ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିୟା, ବନରକ୍ଷୀ ନିରୂପମା ମହାକୁଡ ଓ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କଟା ଗଛ ଗୁଡିକୁ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।