ଚମ୍ପୁଆ, (୨୪/୦୪) ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକରେ ଏକ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ଆଠ ଘଟିକା ସମୟରେ ରିମୁଳିରୁ କେନ୍ଦୁଝର ଆଡକୁ ରାଜପଥର ବାମପାର୍ଶ୍ଵରେ ଯାଉଥିବା ଏକ ଟ୍ରକ ହଠାତ ରଙ୍ଗ ରୁଟରେ ଡାହାଣ ପଟକୁ ମାଡି ଯାଇ ବାଇକରେ ଗ୍ରାମକୁ ଯାଉଥିବା ପର୍ଶଳାର ସରୋଜ ବୈଦ୍ୟ (୪୫) ଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା । ଟ୍ରକ ଧକ୍କାରେ ସରୋଜଙ୍କ ବାଇକ ପଛରେ ଯାଉଥିବା ନିଶ୍ଚିନ୍ତପୁର ର ହେମନ୍ତ ମହାନ୍ତଙ୍କ ସହ ବାଡେଇ ହୋଇଥିଲେ । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଟ୍ରକ୍ ଟି ସରୋଜଙ୍କ ବାଇକ୍ ଟିକୁ ପ୍ରାୟ ଅଧ କିଲୋମିଟର ଯାଏ ଘୋଷାଡ଼ି ନେଇଥିଲା । ସରୋଜଙ୍କ ବାମ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହେମନ୍ତଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଛି । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ନିଜ ଗାଡିରେ ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ ଟିକୁ ଅଟକ ରଖିଥିବା ବେଳେ ପର୍ଶଳା ଛକରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା । ପର୍ଶଳା ଛକ ଟି ଏକ ବ୍ୟସ୍ତବହୁଳ ଛକ ହୋଇଥିବାରୁ ହମ୍ପସ ନିର୍ମାଣ ଦାବୀ ରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପ୍ରାୟ ଏକ ଘଣ୍ଟା ଧରି ରାଜପଥ ରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ଚମ୍ପୁଆ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ଵାଭାବିକ ହୋଇଥିବା ଜଣାପଡିଛି।