ଚମ୍ପୁଆ, ୧୮/୧୨ (ତ୍ରିନାଥ ମହାନ୍ତ) ଚମ୍ପୁଆ ବନାଞ୍ଚଳ ଚମ୍ପୁଆ ସେକ୍ସନରେ ୨୭ ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରୀ ରହିଛି। ଚମ୍ପୁଆ ସେକ୍ସନର ମୁକୁନ୍ଦପୁର ଜଙ୍ଗଲରେ ଡେରା ପକାଇ ଥିବା ଏହି ୨୭ ଟିକିଆ ହାତୀ ପଲ ରାତି ହେଲେ ଦୁଇ ଦଳରେ ଭାଗ ହୋଇ ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗତ ରାତି ଏହି ହାତୀ ପଲରୁ ୧୭ ଟି ହାତୀ ଗୋପପୁର ଓ ମୁକୁନ୍ଦପୁର ଗ୍ରାମରେ ହୋଇଥିବା ପନିପରିବା ଚାଷକୁ ଖାଇବା ସହ ମାଡ଼ି ଦଳି ନଷ୍ଟ କରିଥିବା ବେଳେ ୧୦ ଟିକିଆ ହାତୀପଲ ଜାମୁଦଲକ ଓ ମଙ୍ଗଳପୁର ଗ୍ରାମରେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି । ମଙ୍ଗଳପୁର ଗ୍ରାମକୁ ଗତ ମଧ୍ୟ ରାତ୍ରିରେ ଏହି ଦଶ ଟିକିଆ ହାତୀ ପଲ ପଶି ଆସିବାରୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିଲା। ଭୟରେ ଗ୍ରାମବାସୀ ରାତି ସାରା ଉଜାଗର ରହିଥିଲେ। କିଛି ସମୟ ଧରି ବାଡି ବଗିଚାରେ ଉତ୍ପାତ କରିବା ପରେ ହାତୀ ପଲ ଜଙ୍ଗଲ ଭିତରକୁ ପଳାଇଥିଲେ। ବନବିଭାଗ ହାତୀ ପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। ହାତୀ ପଲ ଦୁଇ ଦଳରେ ବିଭକ୍ତ ହୋଇ ଉପଦ୍ରବ କରୁଥିବା ବେଳେ ରାତିରେ ପଡ଼ୁଥିବା ଘନ କୁହୁଡି ଯୋଗୁଁ ହାତୀପଲଙ୍କ ସ୍ଥାନ ଚିହ୍ନଟ କରି ଘଉଡାଇବା ବିଭାଗ ପାଇଁ କଷ୍ଟସାଧ୍ୟ ହୋଇପଡିଛି। କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ବିଭାଗୀୟ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।