ଚମ୍ପୁଆ, ୧୦/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତ ଟିଆନସିପଶି ଗ୍ରାମର ଶିବ ଶଙ୍କର କ୍ଲବ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଦୂର ଦୁରାନ୍ତରୁ ଆସିଥିବା ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ। ମା ତାରିଣୀ ଏଫ. ସି ଓ ମ୍ୟାକମିଲନପୁର ମଧ୍ୟରେ ସଂଘର୍ଷ ମୂଳକ ପ୍ରତିଦ୍ବନ୍ଦୀତା ଖେଳ ହୋଇଥିଲା। ଏଥିରେ ମା ତାରିଣୀ ଏଫ. ସି, ମ୍ୟାକମିଲନପୁରକୁ ଶେଷ ରାଉଣ୍ଡରେ ୧-୦ ଗୋଲରେ ହରାଇ ଚମ୍ପିୟାନ ହୋଇଥିଲା। ଖେଳକୁ ରେଫ୍ରି ଜତିନ ମହାନ୍ତ, ଗଜାନନ ପାତ୍ର, ନୀତିଶ ମହାନ୍ତ ଓ ଶଙ୍କର୍ଷଣ ନାଏକ ପରିଚାଳନା କରିଥିବା ବେଳେ ଯୁବ ଭାଷ୍ୟକାର ବିନ୍ଦୁ ମହାରଣା, ଖଗେଶ୍ୱର ଓ ଅତିଥି ଭାଷ୍ୟକାର ଜର୍ମାନୀ ମହାନ୍ତ ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ନିଜ ଅଭିଭାଷଣରେ ଗ୍ରାମାଞ୍ଚଳର ଫୁଟବଳ ଖେଳାଳି ମାନଙ୍କ କ୍ରୀଡା ପ୍ରତିଭାର ବିକାଶରେ ଭିତିଭୂମି ସୁଦୃଢ଼ୀକରଣ ଓ ଖେଳ ପଡିଆର ଉନ୍ନତି କରଣ ଦିଗରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂ, ବରିଷ୍ଠ ଆଇନଜିବୀ ରମେଶ ଚନ୍ଦ୍ର ପ୍ରଧାନ, ରଙ୍ଗାମାଟିଆ ପୂର୍ବତନ ସରପଞ୍ଚ ରତିକାନ୍ତ ସିଂ, ଚମ୍ପୁଆ ବ୍ଲକ ଚେୟାରମ୍ୟାନ ସୁରେଶ ଚନ୍ଦ୍ର ନାୟକ, ସମାଜସେବୀ ଭବାନୀ ଶଙ୍କର ପାତ୍ର ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଖେଳର ଚମ୍ପିୟାନ ଟିମ ସହିତ ସର୍ବମୋଟ ଚାରୋଟି ଟିମକୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା।ଏହି ଖେଳକୁ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।