ଚମ୍ପୁଆ, ୧୩/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ଉପଖଣ୍ଡସ୍ଥ ଅଶେଇଁକଳା ପଞ୍ଚାୟତ ଅନ୍ତର୍ଗତ ଜାମୁକୁଣ୍ଡିଆ ଗ୍ରାମର ଖେଳ ପଡିଆ ଠାରେ ଜାମୁକୁଣ୍ଡିଆ ଫୁଟବଲ କମିଟି ଆନୁକୂଲ୍ୟରେ ତୃତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଦୂର ଦୁରାନ୍ତରୁ ଆସିଥିବା ୩୨ଟି ଦଳ ଅଂଶ ଗ୍ରହଣ କରିଥିଲେ। ଆର.ପି.ୱାଇ.ଏସ ସିଆଲିଯୋଡ଼ା ଓ ଜଗନ୍ନାଥପୁର ଏଫ.ସି ମଧ୍ୟରେ ହୋଇଥିବା ସଂଘର୍ଷ ମୂଳକ ଫାଇନାଲ ଖେଳରେ ଆର.ପି.ୱାଇ.ଏସ ସିଆଲିଯୋଡ଼ା ଜଗନ୍ନାଥପୁର ଏଫ.ସି କୁ ୨-୦ ଗୋଲରେ ହରାଇ ଚମ୍ପିୟାନ ହୋଇଥିଲା। ଖେଳକୁ ରେଫ୍ରି ଚନ୍ଦ୍ର ମୋହନ ସିଂଙ୍କୁ, ସଞ୍ଜୟ ନାଏକ, ରାଜ, ଟିନୁ ମାଝୀ ଓ ଲକ୍ଷ୍ମଣ ପରିଚାଳନା କରିଥିବା ବେଳେ ଯୁବ ଭାଷ୍ୟକାର ସୁଧାଂଶୁ ପୂର୍ତ୍ତି ଓ ଘନ ମହାନ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଅଞ୍ଚଳର ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ତାଙ୍କ ଅଭିଭାଷଣରେ ଗ୍ରାମାଞ୍ଚଳର ଫୁଟବଲ ଖେଳାଳି ମାନଙ୍କ କ୍ରୀଡା ପ୍ରତିଭାର ବିକାଶରେ ଭିତିଭୂମି ସୁଦୃଢ଼ୀକରଣ ଓ ଖେଳ ପଡିଆର ଉନ୍ନତି କରଣ ଉପରେ ଆଲୋକପାତ କରିଥିଲେ। ସମ୍ନାନୀତ ଅତିଥି ଭାବେ ଜ଼ିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଦସ୍ୟ କୃଷ୍ଣ ଗାଗରାଇ, ସିଧୁ ବବୋଙ୍ଗା, ଡମ୍ୱରୁ ପାତ୍ର, ବିଷ୍ଣୁ ବବୋଙ୍ଗା, ରସିକଲାଲ ବବୋଙ୍ଗା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଖେଳରେ ସର୍ବମୋଟ ଚାରୋଟି ଟିମକୁ ପୁରସ୍କୃତ କରା ଯାଇଥିଲା। ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଓ ଟ୍ରଫି, ଦ୍ୱିତୀୟ ପୁରସ୍କାର ୩୦ ହଜାର ଟଙ୍କା ଓ ଟ୍ରଫି, ତୃତୀୟ ପୁରସ୍କାର ୨୦ ହଜାର ଟଙ୍କା ଓ ଟ୍ରଫି, ଚତୁର୍ଥ ପୁରସ୍କାର ୧୫ ହଜାର ଟଙ୍କା ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା। ଖେଳକୁ କମିଟି ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଖେଳ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।