Latest News

“ସ୍ୱାମୀ ବିବେକାନନ୍ଦ ଓ ଧର୍ମାନ୍ତରୀକରଣ ”

Jan 11, 2024
Odishakhabar:

-ଡ. ସମନ୍ୱୟ ନନ୍ଦ

ଜାନୁଆରୀ ୧୨ ତାରିଖ ହେଉଛି ସମଗ୍ର ବିଶ୍ୱରେ ହିନ୍ଦୁତ୍ୱ ଓ ଭାରତୀୟତାର ବିଜୟ ପତାକା ଉଡାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ଚିକାଗୋ ଠାରେ ବିଶ୍ୱ ଧର୍ମ ସମ୍ମିଳନୀରେ ବକ୍ତବ୍ୟ ଦେଇ ସେ ଭାରତର ବିଶ୍ୱ ବନ୍ଧୁତ ସମ୍ପର୍କିତ ଭାରତର ସନାତନ ବିଚାରକୁ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିଥିଲେ । ସେ ଏଥିରେ କହିଥିଲେ ଯେ ଯେଉଁ ପ୍ରକାରରେ ବିଭିନ୍ନ ନଦୀ ବିଭିନ୍ନ ପର୍ବତରୁ ବାହାରି ସରଳ ତଥା ବକ୍ର ଗତିରେ ପ୍ରବାହିତ ହୋଇ ଶେଷରେ ସମୁଦ୍ରରେ ହିଁ ମିଶିଥାନ୍ତି, ସେହି ପ୍ରକାର ନିଜର ବିଭିନ୍ନ ପ୍ରବୃତି କାରଣରୁ ଯେଉଁ ବିଭିନ୍ନ ମାର୍ଗ ଲୋକ ମାନେ ଗ୍ରହଣ କରିଥାନ୍ତି, ସରଳ ବା ବକ୍ର ମାର୍ଗରେ ଅଲଗା ଅଲଗା ଭଳି ଜଣା ପଡିଲେ ସୁଦ୍ଧା ଶେଷରେ ସମସ୍ତେ ଭଗବାନଙ୍କ ନିକଟକୁ ପହଂଚିଥାନ୍ତି ।

ସ୍ୱାମୀ ବିବେକାନନ୍ଦ ଏହା ପରେ ଅତ୍ୟନ୍ତ ଲୋକପ୍ରିୟ ହୋଇ ଯାଇଥିଲେ ଓ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କୁ ଆହ୍ୱାନ କରିଥିଲେ ଯେ ସେମାନେ ନିଜ ରାସ୍ତାରେ ଚାଲନ୍ତୁ, ଅନ୍ୟ ମାନଙ୍କୁ ସେମାନଙ୍କର ରାସ୍ତାରେ ଚାଲିବାକୁ ଦିଅନ୍ତୁ, ଧର୍ମାନ୍ତରୀକରଣର ଖେଳକୁ ବନ୍ଦ କରନ୍ତୁ ।

ତେବେ ବିଦେଶର ଖ୍ରୀଷ୍ଟିଆନ ମିଶନାରୀ ମାନେ ତାଙ୍କର ବିଶ୍ୱ ବନ୍ଧୁତ୍ୱର ବାର୍ତାକୁ କାହିଁକି ବା ଶୁଣନ୍ତେ ? କାରଣ ସେମାନଙ୍କର ଏକ ମାତ୍ର ଉଦ୍ଦେଶ୍ୟ ସମ୍ପୂର୍ଣ ବିଶ୍ୱକୁ ଧର୍ମାନ୍ତରିତ କରିବା । ତେଣୁ ସେମାନେ ତାଙ୍କର କଥାକୁ ଶୁଣିବା ତ ଦୂରର କଥା ସ୍ୱାମୀ ବିବେକାନନ୍ଦଙ୍କ ବିରୁଦ୍ଧରେ ମିଥ୍ୟା ଅପ ପ୍ରଚାର ଓ କୁତ୍ସାରଟନା କରିବା ଆରମ୍ଭ କରି ଦେଇଥିଲେ । ଖ୍ରୀଷ୍ଟିଆନ ମିଶନାରୀ ମାନେ ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରବଳ ହଇରାଣ କରିବା ଆରମ୍ଭ କରିଥିଲେ । ସ୍ୱାମୀ ବିବେକାନନ୍ଦ ମାଡ୍ରାସର ଭିକ୍ଟୋରିଆ ହଲରେ ଦେଇଥିବା ତାଙ୍କର ଉଦବୋଧନରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ଏ ପ୍ରକାର କାମ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ “ଖ୍ରୀଷ୍ଟିଆନ ମିଶନାରୀ ମାନେ ମୋ ବିରୁଦ୍ଧରେ ଏତେ ଭୟଙ୍କର ମିଥ୍ୟା ପ୍ରଚାର କଲେ ଯାହାର କଳ୍ପନା କରିବା ସମ୍ଭବ ନୁହେଁ । ମୁଁ ବିଦେଶରେ ଏକୁଟିଆ ଓ ମିତ୍ରବିହୀନ ଥିଲି, ତଥାପି ସେମାନେ ପ୍ରତ୍ୟେକ ସ୍ଥାନରେ ମୋର ଚରିତ୍ର ଉପରେ ଦୋଷାରୋପଣ କଲୋ ସେମାନେ ମୋତେ ଘରୁ ବାହାର କରି ଦେବାକୁ ଚେଷ୍ଟା କରିବା ସହ ଯିଏ ମୋର ମିତ୍ର ହେଉଥିଲେ ତାଙ୍କୁ ମୋର ଶତ୍ରୁ କରିବାକୁ ଚେଷ୍ଟା କରିଥିଲେ । ସେମାନେ ମୋତେ ଭୋକରେ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ”

ଖ୍ରିଷ୍ଟିଆନ ମିଶନାରୀ ମାନେ ଦେବୀ- ଦେବତା, ଭାରତର ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ଅତ୍ୟନ୍ତ ଅଶାଳୀନ ଭାବେ ଗାଳିଗୁଲଜ କରୁଥିଲେ । ସେମାନେ ବିଭିନ୍ନ ପୁସ୍ତକ ମାନ ପ୍ରକାଶିତ କରି ଭାରତରେ ମା ମାନେ ତାଙ୍କର ପିଲା ମାନଙ୍କୁ ଗଙ୍ଗା ନଦୀରେ କୁମ୍ଭୀରକୁ ଖାଇବାକୁ ଦେଉଥିବା ଚିତ୍ର ଭଳି ଅନେକ ଚିତ୍ର ପ୍ରକାଶିତ କରିବାରେ ବ୍ୟସ୍ତ ଥିଲେ । ଭାରତ ବିରୁଦ୍ଧରେ ଏଭଳି ଦୁଷ୍ପ୍ରଚାରର ସ୍ୱାମୀଜୀ ଉତର ଦେଇଥିଲେ ।

ସ୍ୱାମୀ ବିବେକାନନ୍ଦ ଆମେରିକାରୁ ଫେରିବା ପରେ ମାଡ୍ରାସ ଠାରେ ଶ୍ରୋତା ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ - “ମୁଁ କୌଣସି ଧର୍ମର ବିରୋଧୀ, ଏହା ସତ୍ୟ ନୁହେଁ । ଏହା ମଧ୍ୟ ସେତେ ଅସତ୍ୟ ଯେ ଭାରତରେ ମିଶନାରୀ ମାନଙ୍କର ବିରୋଧୀ , କିନ୍ତୁ ତାଙ୍କ ଦ୍ୱାରା ଆମେରିକାରେ ଧନରାଶି ଜମା କରିବା ପାଇଁ ଆପଣା ଯାଉଥିବା କିଛି ପଦ୍ଧତିର ମୁଁ ବିରୋଧ କରେ । ପିଲା ମାନଙ୍କ ପାଇଁ ସ୍କୁଲର ପୁସ୍ତକ ଗୁଡିକରେ ଦିଆ ଯାଇଥିବା ସେହି ଚିତ୍ରର ଅର୍ଥ କଣ ଯେଉଁ ଥିରେ ହିନ୍ଦୁ ମାକୁ ତାର ପିଲା ମାନଙ୍କୁ ଗଙ୍ଗା ନଦୀରେ କୁମ୍ଭୀର ସାମନାରେ ଫିଙ୍ଗି ଦେଉଥିବାର ଦେଖାଯାଇଛି ? ଅଧିକ ସହାନୁଭୂତି ପାଇବା ପାଇଁ ଅଧିକ ଅର୍ଥ ହାସଲ କରିବା ପାଇଁ ଫଟୋରେ ତ ମା କୁ କଳା ରଙ୍ଗର ଦେଖା ଯାଇଛି,ହେଲେ ପିଲା ମାନଙ୍କୁ ଗୋରା ବର୍ଣର ଦେଖା ଯାଇଛି ।... ମୁଁ ଉପଦେଶ ଦେଉଥିବାର ଶୁଣିଛି ଯେ ଭାରତର ପ୍ରତ୍ୟେକ ଗାଁରେ ଶିଶୁ ମାନଙ୍କର ହାଡର ଏକ ପୋଖରୀ ରହିଥାଏ । ବାସ୍ତବରେ ହିନ୍ଦୁ ମାନେ ଯୀଶୁ ଖ୍ରୀଷ୍ଟଙ୍କର ଚେଲା ମାନଙ୍କର କଣ ବିଗାଡିଛନ୍ତି ଯେ ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ପିଲାକୁ ଏଇଆ ଶିଖା ଯାଏ ଯେ ସେମାନେ ହିନ୍ଦୁ ମାନଙ୍କୁ ନୀଚ୍ଚ, ଘୃଣ୍ୟ ଓ ପୃଥିବୀର ସବୁଠାରୁ ଦୁଷ୍ଟାତ୍ମା ବୋଲି କହନ୍ତୁ । ଏଠାରେ ସଣ୍ଡେ ସ୍କୁଲର ପିଲା ମାନଙ୍କୁ ଦିଆ ଯାଉଥିବା ଶିକ୍ଷାର ଏକ ପାଠଏହା ଶିଖାଇବା ଯେ ଯେଉଁ ମାନେ ଖ୍ରୀଷ୍ଟିଆନ ନୁହନ୍ତି ସେମାନଙ୍କୁ ଘୃଣା କର , ବିଶେଷ ଭାବେ ହିନ୍ଦୁ ମାନଙ୍କୁ - ଯାହା ଫଳରେ ପିଲା ଦିନରୁ ସେମାନେ ନିଜର ଅଂଶଦାନ କରିବେ ।”

ମିଶନାରୀ ମାନଙ୍କର ହିନ୍ଦୁ ଦେବୀ ଦେବତାଙ୍କୁ ଗାଳି, ହିନ୍ଦୁ ପରମ୍ପରା ସଂସ୍କୃତିକୁ ଲାଂଛନ ଆଦିକୁ ନେଇ ସ୍ୱାମୀ ବିବେକାନନ୍ଦ ଅତ୍ୟନ୍ତ କ୍ଷୁବ୍ଧ ଥିଲେ । ସେ ଅତ୍ୟନ୍ତ ବେଦନାର ସହ ୨୧ ଫେବୃଆରୀ ୧୮୯୪ ମସିହାରେ ଆମେରିକାରେ କହିଥିଲେ - “ଯଦି ସମ୍ପୂର୍ଣ ଭାରତ ଉଠି ଠିଆ ହୋଇ ଯାଏ ଓ ଭାରତ ମହାସାଗରରେ ତଳେ ଥିବା କାଦୁଅକୁ ଉଠାଇ ପାଶ୍ଚାତ୍ୟ ଦେଶ ମାନଙ୍କ ଉପରକୁ ଫିଙ୍ଗି ଦିଏ ତେବେ ତାହା ଏକ ସୁକ୍ଷ୍‌ମାଂଶ ମଧ୍ୟ ହେବ ନାହିଁ ଯେପରି ସେମାନେ ଆମ ସହ କରୁଛନ୍ତି । ”

ସେ ପୁଣି ପ୍ରଶ୍ନ କରିଥିଲେ ଯେ “ଆମେ କେବେ ହେଲେ ଜଣେ ହେଲେ ଧର୍ମ ପ୍ରଚାରକ ସଂସାରରେ କାହାର ଧର୍ମ ପରିବର୍ତନ ପାଇଁ ପଠାଇଛୁ । ଆମେ ତ ତୁମକୁ କହୁଛୁ, ତୁମକୁ ତୁମର ଧର୍ମ କଲ୍ୟାଣକାରୀ ହେଉ, ହେଲେ ମୋତେ ମୋର ଧର୍ମ ରଖିବାକୁ ଦିଅ । ”

ଆମେରିକାରେ ସ ତାଙ୍କ ଭଳି ଜଣେ ହିନ୍ଦୁ ସନ୍ୟାସୀଙ୍କୁ ଓ ଦେବାଦେବୀଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଖ୍ର୍‌ୀଷ୍ଟିଆନ ପାଦ୍ରୀ ମାନେ ଗାଳି ଦେଉଥିବା କାରଣରୁ ଏହାର ଉତରରେ ସ୍ୱାମୀ ବିବେକାନନ୍ଦଙ୍କୁ ବାଧ୍ୟ ହୋଇ କହିବାକୁ ପଡିଥିଲା – “ଖ୍ରୀଷ୍ଟିଆନ ମିଶନାରୀ ମାନେ ଗାଳି ବକିବା ଜାଣନ୍ତି ତର୍କ କରିବା ଜାଣନ୍ତି ନାହିଁ ।”

ସ୍ୱାମୀ ବିବେକାନନ୍ଦ ଖ୍ରୀଷ୍ଟିଆନ ପାଦ୍ରୀ ମାନଙ୍କ ଦ୍ୱାରା ବର୍ଣିତ ମୂଳ ପାପର ସିଦ୍ଧାନ୍ତ ସହ ଆଦୌ ଏକମତ ନଥିଲେ ଓ ଏହାକୁ ଖୋଲାଖୋଲି ଭାବେ ଚ୍ୟାଲେଂଜ କଲେ । । ଖ୍ରୀଷ୍ଟିଆନ ମତ ମନୁଷ୍ୟକୁ ଜନ୍ମରୁ ପାପୀ ବୋଲି ମନେ କରିଥାଏ । ସ୍ୱାମୀ ବିବେକାନନ୍ଦ କହିଲେ ଯେ ମନୁଷ୍ୟ କେବେ ହେଲେ ଜନ୍ମରୁ ପାପୀ ନ ଥାଏ । ସେ ଉପନିଷଦର ବ୍ୟଖ୍ୟା କରି ମନୁଷ୍ୟକୁ ଅମୃତସ୍ୟ ପୁତ୍ର ଅର୍ଥାତ ଅମୃତର ପୁତ୍ର ବୋଲି କହି ତାଙ୍କୁ ଚ୍ୟାଲେଂଜ କରିଥିଲେ ।

ସରଳ ହିନ୍ଦୁ ମାନେ ମୂର୍ତି ପୂଜା କରୁଥିବାରୁ ଖ୍ରୀଷ୍ଟିଆନ ପାଦ୍ରୀ ମାନେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରୁଥିଲେ । ସ୍ୱାମୀ ବିବେକାନନ୍ଦ ମୂର୍ତି ପୂଜା ସମର୍ଥନରେ ଖ୍ରୀଷ୍ଟିଆନ ପାଦ୍ରୀ ମାନଙ୍କର ସହ ତର୍କ କଲେ । ତାଙ୍କର ତର୍କ ଅକାଟ୍ୟ ଥିଲା ।

ସ୍ୱାମୀ ବିବେକାନନ୍ଦ ଧର୍ମାନ୍ତରୀକରଣକୁ ରାଷ୍ଟ୍ରାନ୍ତରଣ ବୋଲି ମନେ କରୁଥିଲେ । ଏହି କଥାକୁ ସେ ଅତ୍ୟନ୍ତ ସ୍ପଷ୍ଟ ଶବ୍ଦରେ ଓ ଦୃଢତାର ସହ କହିଥିଲେ । ପ୍ରବୁଦ୍ଧ ଭାରତ ପତ୍ରିକାକୁ ସେ ଏକ ସାକ୍ଷାତକାର ଦେଇଥିଲେ । ଏଥିରେ ସେ କହିଥିଲେ “ଯଦି କେହି ହିନ୍ଦୁ ଧର୍ମାନ୍ତରିତ ହୁଏ ତେବେ କେବଳ ଯେ ଜଣେ ହିନ୍ଦୁ ସଂଖ୍ୟା କମ ହୁଏ ତାହା ନୁହେଁ, ବରଂ ଦେଶର ଗୋଟିଏ ଶତ୍ରୁ ବଢି ଯାଏ ।”

କଣ ଯେଉଁ ମାନେ ଅନ୍ୟ ଧର୍ମକୁ କୌଣସି କାରଣରୁ ଧର୍ମାନ୍ତରିତ ହୋଇ ଯାଇଛନ୍ତି କଣ ସେମାନଙ୍କୁ ପୁଣି ଥରେ ଘର ବାହୁଡା କରିବାକୁ ଦିଆ ଯିବା ଉଚିତ । ଏହି ପ୍ରଶ୍ନ ସେତେବେଳେ ଜୋର ସୋରରେ ଚାଲୁଥିଲା । ଏହାକୁ ନେଇ ମଧ୍ୟ ସ୍ୱାମୀ ବିବେକାନନ୍ଦ ସ୍ପଷ୍ଟ ମତ ରଖିଥିଲେ ।

ପ୍ରବୁଦ୍ଧ ଭାରତ ପତ୍ରିକାର ସମ୍ପାଦକ ସ୍ୱାମୀ ବିବେକାନନ୍ଦଙ୍କୁ ପଚାରିଥିଲେ ଯେ “ ନିଜ ଧର୍ମର ରାସ୍ତାକୁ ଭୁଲି ଅନ୍ୟତ୍ର ଯାଇଥିବା ଲୋକ ମାନଙ୍କୁ ପୁଣି ଥରେ ହିନ୍ଦୁଧର୍ମକୁ ଫେରାଇବା ନେଇ ଆପଣଙ୍କ ମତ କଣ ? ” । ଏହାର ଉତରରେ ସ୍ୱାମୀଜୀ କହିଥିଲେ - “ନିଶ୍ଚିତ ଭାବେ ତାଙ୍କୁ ନିଆ ଯାଇ ପାରିବ ଓ ନିଆ ଯିବା ଦରକାର ମଧ୍ୟ । ଏହା କହି ସେ କିଛି ସମୟ ଚିନ୍ତାମଗ୍ନ ହୋଇ ବସିଲେ ଓ କହିଲେ ଏପରି ନ କରିବା ଦ୍ୱାରା ଆମର ସଂଖ୍ୟା କମିବାରେ ଲାଗିବ । .... ଅଧିକାଂଶ ଧର୍ମାନ୍ତରିତ ହିନ୍ଦୁ ତ ଖଣ୍ଡାର ବଳରେ ମୁସଲମାନ କିମ୍ବା ଖ୍ରିଷ୍ଟିଆନ ହୋଇଛନ୍ତି ଅଥବା ସେମାନଙ୍କର ବଂଶଜ । ଏପରି ଲୋକଙ୍କୁ କୌଣସି ପ୍ରକାରରେ ଅଯୋଗ୍ୟ ବିବେଚିତ କରିବା ତାଙ୍କ ସହ ଅନ୍ୟାୟ ହେବ । ” ।

ସମଗ୍ର ବିଶ୍ୱକୁ ସେମାନଙ୍କ ମତାନ୍ତରିତ କରିବା ଲକ୍ଷ୍ୟରେ କାମ କରୁଥିବା ଲୋକ ମାନେ ଏବେ ମଧ୍ୟ ସେମାନଙ୍କର ସେହି ପ୍ରକ୍ରିୟାକୁ ଜାରୀ ରଖିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ବାଣୀ ଜରିଆରେ ଏହି ମତାନ୍ଧତାକୁ ରୋକିବାକୁ ଚେଷ୍ଟା କରିବା ତାଙ୍କ ପ୍ରତି ଶ୍ରେଷ୍ଠ  ଶ୍ରଦ୍ଧାଂଜଳି ହେବ ।

Related Post