ଚମ୍ପୁଆ, ୨୧/୧୧ (ତ୍ରିନାଥ ମହାନ୍ତ) ବିଗତ ଦଶ ବର୍ଷ ଧରି ଚମ୍ପୁଆ ଅଞ୍ଚଳର ଜଣେ ଜନଜାତି ନାବାଳିକା କେନ୍ଦ୍ରାପଡ଼ା ଜିଲ୍ଲାର ଉଦୟ ନଗର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ମାଡ଼ ଗାଳି ଖାଇବା ସହ ଚାକରାଣୀ ଭାବେ ନିର୍ଯାତିତ ହୋଇ ଆସୁଥିବା ବେଳେ ଗତ ଷୋହଳ ତାରିଖ ଦିନ କେନ୍ଦ୍ରାପଡା ଥାନା ପୋଲିସ୍ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନାବାଳିକାଙ୍କୁ ଉଦ୍ଧାର କରିବା ସହ ନିଜ ହେପାଜତକୁ ନେଇଛନ୍ତି। ତେବେ ଦୀର୍ଘଦିନ ପରେ ଭଉଣୀର ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହେବା ପରେ ବଡ଼ ଦୁଇ ଭଉଣୀ ସାନ ଭଉଣୀକୁ ଫେରାଇ ଆଣିବା ପାଇଁ ଚମ୍ପୁଆ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ମିଲୁସାହିର ଶୁକ୍ରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସୀତା ମୁଣ୍ଡା ଚମ୍ପୁଆ ଥାନା ପାଞ୍ଚପୋଖରିଆ ଗ୍ରାମର ଶୁକଦେବ ତିରିଆଙ୍କୁ ଦ୍ଵିତୀୟ ବିବାହ କରି ତିନି ଝିଅ ଜାନୁ, ସୁମିତ୍ରା ଓ ଯମୁନାଙ୍କୁ ନେଇ ପାଞ୍ଚପୋଖରିଆ ଗ୍ରାମରେ ରହି ଆସୁଥିଲେ। ଯମୁନା ଆଠ ବର୍ଷର ହୋଇଥିବା ବେଳେ ପାଞ୍ଚପୋଖରିଆ ଗ୍ରାମର ଜନୈକ ବ୍ୟକ୍ତି ଯିଏ କି ପ୍ରମୋଦଙ୍କ ନିକଟରେ କାମ କରୁଥିଲେ ତାଙ୍କ କଥାରେ ପଡି ଯମୁନାଙ୍କ ମାଆ ଓ ସାବତ ବାପା ଯମୁନାଙ୍କୁ କାମ କରିବା ପାଇଁ ପଠାଇ ଥିଲେ । ପ୍ରମୋଦ ନାୟକ ଓ ତାଙ୍କ ପରିବାର ଯମୁନାଙ୍କୁ ଘର ପୋଛା, ବାସନ ମଜା, ଲୁଗା ସଫା, କୁକୁର ଜଗିବା, ଶ୍ରମିକ ଭାବେ କାମ କରାଇବା ସହ ବିଭିନ୍ନ ସମୟରେ ଗାଳି ଗୁଲଜ କରି ମାଡ଼ ମାରିବା ନେଇ ଯମୁନା ଶିଶୁ ମଙ୍ଗଳ କମିଟି ନିକଟରେ ନିଜ ସ୍ଵିକୋରକ୍ତି ମାଧ୍ୟମରେ ଜଣାଇଛନ୍ତି। ଗତ ଷୋହଳ ତାରିଖରେ ପାଖ ପଡିଶା ଓ ସାମାଜିକ କର୍ମୀଙ୍କ ସହାୟତାରେ ଯମୁନାଙ୍କୁ ପ୍ରମୋଦ ନାୟକଙ୍କ ଘରୁ ଉଦ୍ଧାର କରାଯାଇଛି। ଯମୁନାଙ୍କୁ ବର୍ତ୍ତମାନ ଗରାପୁର ସ୍ଥିତ ଶିଶୁ ଥଇଥାନ ଗୃହରେ ରଖାଯାଇଛି। ଦୁଇ ମାସ ତଳେ ଯମୁନାଙ୍କ ମା ସୀତା ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଖବର ପାଇବା ପରେ ଯମୁନାଙ୍କ ଦୁଇ ବଡ ଭଉଣୀ ଜାନୁ ଓ ସୁମିତ୍ରା ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଆଜି ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି।